ପ୍ରଶିକ୍ଷକ
ପିଲାବେଳୁ ବାପ ଛେଉଣ୍ଡ ହୋଇ ଯାଇଥିଲେ । ସମୟକ୍ରମରେ ଜଣେ ବ୍ୟକ୍ତିଙ୍କ ଘରର ସହାୟିକା ତଥା ପରିଚାରିକା ପାଲଟି ଗଲେ । କାମ କରୁଥିଲେ ବି ପାଠ ପଢୁଥିଲେ । ହେଲେ ସେ ପାଠର କିଛି ମୂଲ୍ୟ ନ ଥିଲା । କାରଣ ବିଦ୍ୟାଳୟ ଯିବାକୁ ସମୟ ନ ଥିଲା । ଏପଟେ ଗାଁ ଘରେ ଥିବା ରୋଗିଣା ବିଧବା ମାଆ ଓ ଏକମାତ୍ର ସାନଭଉଣୀର ଚିନ୍ତା ଲାଗି ରହୁଥିଲା । ମନରେ କିନ୍ତୁ ଥିଲା ଦୁନିଆ ଦେଖିବାର ସ୍ୱପ୍ନ । ସେଥିପାଇଁ ସଂଘର୍ଷ ଜାରି ରଖିଲେ । ସବୁ ବାଧାବିଘ୍ନକୁ ପଛରେ ପକାଇ ଘରୁ ଗୋଡ କାଢିଲେ । ଶିଳ୍ପ ତାଲିମ ଅନୁଷ୍ଠାନରେ ନାଁ ଲେଖାଇଲେ । ଆଜି ସେ ଚେନ୍ନାଇସ୍ଥିତ ଏକ ବହୁଦେଶୀୟ କମ୍ପାନୀର ପ୍ରଶିକ୍ଷିକା । ଏହି ସଫଳ ଯୁବତୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ସରସ୍ୱତୀ ଜାନୀ ।
ଚେନ୍ନାଇସ୍ଥିତ ବହୁଦେଶୀୟ କମ୍ପାନୀ ଫ୍ରୁଡେନବର୍ଜରେ ପ୍ରଶିକ୍ଷିକା ଭାବେ କାର୍ଯ୍ୟରତ ସରସ୍ୱତୀଙ୍କ ଜୀବନ କାହାଣୀ ବେଶ ଦୁଃଖଭରା ଓ ସଂଘର୍ଷମୟ । ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସରସ୍ୱତୀ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାଙ୍କ ପାଠପଢାରେ ଡୋରି ବନ୍ଧା ହେବା ପୂର୍ବରୁ ସେହି ଅଞ୍ଚଳର ଜଣେ ସହୃଦୟ ବ୍ୟକ୍ତିଙ୍କ ଦୃଷ୍ଟି ସରସ୍ୱତୀଙ୍କ ଉପରେ ପଡିଥିଲା । ସେହି ବ୍ୟକ୍ତି ଜଣକ ସରସ୍ୱତୀଙ୍କୁ ନିଜ ଘରକୁ ନେଇ ରଖିବା ସହ ନିକଟସ୍ଥ ବିଦ୍ୟାଳୟରେ ତାଙ୍କ ନାଁ ଲେଖାଇ ଦେଇଥିଲେ ।
ସମୟ ଗଡିବା ସହ ସରସ୍ୱତୀ ସେହି ବ୍ୟକ୍ତିଙ୍କ ଘରେ ବଡ ହେବାକୁ ଲାଗିଲେ । ହେଲେ କାମ କରୁଥିବାରୁ ବିଦ୍ୟାଳୟ ଯିବାକୁ ସମୟ ପାଉ ନ ଥିଲେ । ଘରେ ପାଠ ପଢି ପରୀକ୍ଷା ଦେଉଥିଲେ । ସେହିଭଳି ସେ ନିଜର ଯୁକ୍ତ ତିନି ଶେଷ କଲେ । ସରସ୍ୱତୀ ଦିନେ ତାଙ୍କ ସାନ ଭଉଣୀର ନାଁ ଲେଖାଇବାକୁ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନକୁ ଆସିଥିଲେ । ଏଠାକାର ପରିବେଶ ଓ ରାଜ୍ୟ ସରକାରଙ୍କ “ସୁଦକ୍ଷା” ଯୋଜନା ବିଷୟରେ ଜାଣିବା ପରେ ସେ ନିଜେ ଆଇଟିଆଇ ପଢିବାକୁ ଇଚ୍ଛା କଲେ । ସଂପୃକ୍ତ ବ୍ୟକ୍ତିଙ୍କ ଘରେ କାମ କରିବା ସହ ଆଇଟିଆଇରେ ଇଲେକ୍ଟ୍ରିସିଆନ ବିଷୟରେ ନାଁ ଲେଖାଇ ପାଠପଢା ଶେଷ କଲେ । ଆଉ ପାଠପଢା ଶେଷ ହେବା ପରେ ଉପରୋକ୍ତ କମ୍ପାନୀ ପକ୍ଷରୁ ଆୟୋଜିତ ନିଯୁକ୍ତି ମେଳାରେ ମନୋନୀତ ହୋଇଗଲେ । ଚେନ୍ନାଇ ଯିବାକୁ ବାହାରିଲେ । ହେଲେ ସେହି ସମୟରେ କରୋନା ଅସିଯିବାରୁ ଯାହାଙ୍କ ଘରେ କାମ କରୁଥିଲେ ସେ ସରସ୍ୱତୀଙ୍କୁ ଛାଡିବାକୁ ଅନିଚ୍ଛା ପ୍ରକାଶ କଲେ । ସରସ୍ୱତୀ ଚେନ୍ନାଇ ଯାଇ ଚାକିରୀ କରନ୍ତୁ ବୋଲି ଆଇଟିଆଇ କର୍ତ୍ତୁପକ୍ଷ ଚାହୁଁଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ମନା କରିବାରୁ ସମସ୍ୟା ଉପୁଜିଲା । କଥା ଯାଇ ପ୍ରଶାସନ ନିକଟରେ ପହଞ୍ଚିଲା । ହେଲେ ମୁକ୍ତ ବିହଙ୍ଗ ହୋଇ ସ୍ୱାଧୀନତାକୁ ଉପଭୋଗ କରିବାର ସରସ୍ୱତୀଙ୍କ ଯେଉଁ ଇଚ୍ଛା ତା ଆଗରେ ସବୁକିଛି ହାର ମାନିଲା ।
ସରସ୍ୱତୀଙ୍କ ସହ ମୋଟ ୧୧ ଜଣ ସେହି କମ୍ପାନୀରେ ଚାକିରୀ କରିବାକୁ ଗଲେ । ଅନ୍ୟମାନେ ସେଠାରେ ଚାକିରୀ କରୁଥିଲେ ମଧ୍ୟ ନିଜର ଦକ୍ଷତା ବଳରେ ସରସ୍ୱତୀ ଆଜି ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି । ଅନ୍ୟମାନେ କମ୍ପାନୀର ଉତ୍ପାଦନ ୟୁନିଟ୍ରେ କାମ କରୁଥିବା ବେଳେ ସରସ୍ୱତୀ ସେଠାରେ ପ୍ରଶିକ୍ଷିକା ହୋଇସାରିଛନ୍ତି । ନୂଆ କରି କମ୍ପାନୀରେ ଯୋଗ ଦେଉଥିବା କର୍ମଚାରୀଙ୍କୁ ସେ ପ୍ରଶିକ୍ଷଣ ଦେଉଛନ୍ତି । ସେହିକ୍ରମରେ ଆଜି ସେ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ ଭଳି ଏକାଧିକ ଭାଷା ମଧ୍ୟ ଶିକ୍ଷି ଯାଇଛନ୍ତି । କେବଳ ଯେ ସରସ୍ୱତୀ ନିଜେ ରୋଜଗାରକ୍ଷମ ତା ନୁହଁ ତାଙ୍କ ସାନ ଭଉଣୀ ମଧ୍ୟ ସେହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ସରସ୍ୱତୀଙ୍କ ଯୋଗୁଁ ସେହି କମ୍ପାନୀରେ ପ୍ରତ୍ୟେକ ବର୍ଷ ଏକାଧିକ ପିଲା ନିଯୁକ୍ତି ପାଉଛନ୍ତି । ତାଙ୍କର ଏହି ସଂଘର୍ଷମୟ କାହାଣୀ ଆଜି ଅନ୍ୟ ପାଇଁ ଉଦାହରଣ ପାଲଟି ଯାଇଛି ।
ସେ ଓଡିଶା ଦକ୍ଷତା ବିକାଶର ରୋଲମଡେଲ ହୋଇସାରିଛନ୍ତି । ଭବିଷ୍ୟତରେ ସେ ଜଣେ ଲୋକ ପାଇଲଟ ହେବାର ଲକ୍ଷ୍ୟ ରଖିଛନ୍ତି ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ