ଫୋକସରେ

ଶ୍ରୀମତି ଅଳକା ମିଶ୍ର, ସିଇଓ, ୱାର୍ଲ୍ଡ ସ୍କିଲ୍ ସେଣ୍ଟର

ଶ୍ରୀମତି ଅଳକା ମିଶ୍ର, ସିଇଓ, ୱାର୍ଲ୍ଡ ସ୍କିଲ୍ ସେଣ୍ଟର

ଶ୍ରେଷ୍ଠ ଅଧିକାରୀ

ସିଇଓ ଶ୍ରୀମତି ଅଳକା ମିଶ୍ରଙ୍କ ନେତୃତ୍ବରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଓଡ଼ିଶାରେ ଦକ୍ଷତା ବିକାଶ ଇକୋସିଷ୍ଟମର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାର ଆସନ୍ତା ୫ ବର୍ଷରେ ୧୦ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସରକାରଙ୍କର ଏହି ଲକ୍ଷ୍ୟକୁ ପୂରା କରିବାପାଇଁ କାମ କରୁଛି। ଓଡିଶା ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (OSDP) ମାଧ୍ୟମରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ସରକାରଙ୍କ ଲକ୍ଷ୍ୟର ୧୫% ଅର୍ଥାତ୍ ୧୪୭,୫୬୫ ଜଣଙ୍କ ଦକ୍ଷତା ବିକାଶ କରାଯିବ। ଏକ ବିଶ୍ବସ୍ତରୀୟ ଫିନିସିଂ ସ୍କୁଲ ଭାବରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର 'ସ୍ପୋକ୍ ଓ ହବ୍' ମଡେଲରେ କାମ କରେ। ଏହି ମଡେଲରେ ଆଇଟିଆଇ ଓ ପଲିଟେକ୍ନିକ ଗୁଡିକରେ ଉନ୍ନତ ମାନର ଟ୍ରେନିଂ ସୁନିଶ୍ଚିତ କରାଯାଏ।

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ତାଲିମ ସୁବିଧା ଯୋଗାଇ ତାଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି। ପ୍ରଶିକ୍ଷାର୍ଥୀମାନେ ଯୋଗ୍ୟ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଟେକ୍ନୋଲଜି ସହ ଅଭ୍ୟାସ କରୁଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସିଙ୍ଗାପୁର ଇଣ୍ଟର୍ନସିପ୍ ପ୍ରୋଗ୍ରାମ୍ ଏବଂ ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜ୍ ପ୍ରୋଗ୍ରାମ୍ ଭଳି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି, ଯାହା ପ୍ରଶିକ୍ଷାର୍ଥୀଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଭିଜ୍ଞତା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ପର୍ଯ୍ୟାୟକ୍ରମେ ଟ୍ରେନିଂ ଅଫ୍ ଟ୍ରେନର ଅର୍ଥାତ୍ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇଟିଆଇ ଏବଂ ପଲିଟେକ୍ନିକ୍ସର ପ୍ରଶିକ୍ଷକମାନଙ୍କୁ ଆରିଏଣ୍ଟେସନ୍ ଟ୍ରେନିଂ ପ୍ରଦାନ କରି ଗୁଣବତ୍ତା ସୁନିଶ୍ଚିତ କରିବାକୁ ଉଦ୍ୟମ କରାଯାଉଛି।

ଗତ ଦୁଇ ବର୍ଷ ମଧ୍ୟରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏହାର ଲକ୍ଷ୍ୟ ହାସଲ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ପ୍ରଥମ ବ୍ୟାଚ୍ ମେକାଟ୍ରୋନିକ୍ସ, ହେୟାର ଫ୍ୟାଶନ୍ ଡିଜାଇନ୍, ଏବଂ ବିୟୁଟି ୱେଲନେସ୍ ଆଣ୍ଡ ସ୍ପା ଭଳି ବିଭିନ୍ନ ବିଷୟରେ ପ୍ରାୟ ୨୧୪ ପ୍ରାର୍ଥୀଙ୍କୁ ତାଲିମ ଦେଇଥିଲା। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ  ନିଯୁକ୍ତି ପାଇଛନ୍ତି। ପାଖାପାଖି ୮୦୦ ଜଣ ପ୍ରାର୍ଥୀ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଦ୍ୱିତୀୟ ବ୍ୟାଚରେ ତାଲିମ ନେଉଛନ୍ତି | ଏହା ସହ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ଦେବା ପାଇଁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ବୁଝାମଣା ପତ୍ର ସ୍ୱାକ୍ଷର କରିଛି।

ଭବିଷ୍ୟତରେ ଓଡିଶାରେ ଆଉ ଦୁଇଟି ସ୍କିଲ୍ ସେଣ୍ଟର ଖୋଲିବାକୁ ଯୋଜନା ରହିଛି। ଏହି ସ୍କିଲ୍ ସେଣ୍ଟର ଗୁଡ଼ିକ ଚତୁର୍ଥ ପୀଢ଼ି ଶିଳ୍ପାୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କରିବେ। ଏଥିରେ ପ୍ରେସିଜନ ଇଞ୍ଜିନିୟରିଂ, ସାମୁଦ୍ରିକ ଇଞ୍ଜିନିୟରିଂ, ଏରୋସ୍ପେସ୍ ଏବଂ ଆଭିଏସନ୍, ପର୍ଯ୍ୟଟନ, ରନ୍ଧନ କଳା, ଆଇଟି, ଏଗ୍ରି ଏବଂ ଫାର୍ମ ମେସିନାରୀ, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଦିଗରେ ତାଲିମ୍ ଦିଆଯିବ।

‘ସ୍କିଲ୍ ଇନ୍ ଓଡିଶା’ ବ୍ରାଣ୍ଡକୁ ବିଶ୍ୱବ୍ୟାପୀ କରିବା ଏବଂ ଓଡିଶାକୁ ସାରା ବିଶ୍ୱର ସ୍କିଲ୍ କ୍ୟାପିଟାଲ୍ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ଭାବେ ଶ୍ରୀମତି ଅଳକା ମିଶ୍ର ଓଡ଼ିଶାରେ ଦକ୍ଷତା ବିକାଶର ସାମଗ୍ରିକ ଇକୋସିଷ୍ଟମରେ ଉନ୍ନତି ଆଣିବା ଦିଗରେ ନିରନ୍ତର କାମ କରୁଛନ୍ତି।

ଶାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍

ଶାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍

ଶ୍ରେଷ୍ଠ ନିଯୁକ୍ତିଦାତା

ଭାରତରେ ପ୍ରାୟ ୧୧.୯ କୋଟି ବ୍ୟକ୍ତି ବୟନଶିଳ୍ପ ଏବଂ ପୋଷାକ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁଥିରେ ମହିଳାମାନଙ୍କ ସଂଖ୍ୟା ପ୍ରାୟ ୩୫%। ନିମ୍ନ-କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ ମହିଳା ଶ୍ରମିକମାନଙ୍କୁ ଏହି କ୍ଷେତ୍ର ସବୁଠାରୁ ଅଧିକ ନିଯୁକ୍ତି ଦେଇଥାଏ। ଭାରତର ପ୍ରମୁଖ ଟେକ୍ସଟାଇଲ୍ ୟୁନିଟ୍ ଗୁଡିକରେ ଓଡ଼ିଶାର କୁଶଳୀ ଶ୍ରମିକମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଓଡିଶାରେ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହିପରି ଜଣେ ନିଯୁକ୍ତିଦାତା ହେଉଛନ୍ତି ଶାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍।

ଏହି ସଂସ୍ଥା ଓଡିଶାରୁ ତାଲିମପ୍ରାପ୍ତ ଅପରେଟରମାନଙ୍କୁ ନିଯୁକ୍ତି ଦେଇଥାଏ ଓ ଏହାର ପ୍ରାୟ ୬୦% କର୍ମଚାରୀ ହେଉଛନ୍ତି ଓଡ଼ିଶାର କୁଶଳୀ ମହିଳା। DDU-GKY, ଓଡିଶା ଅଧୀନରେ ଏକ ପ୍ରଶିକ୍ଷଣ ସହଯୋଗୀ ଭାବରେ ଶାହି ଏକ୍ସପୋର୍ଟ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେବା ସହ ଭୁବନେଶ୍ୱରରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିଛି। କମ୍ପାନୀ ଅଧିକାରୀଙ୍କ ଅନୁଯାୟୀ, ଓଡିଶାର ଅପରେଟରମାନେ ଖୁବ୍ ପରିଶ୍ରମୀ ଓ ସବୁବେଳେ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତି।

ରାଜ୍ୟରେ ପ୍ରଥମ ଉତ୍ପାଦନ ୟୁନିଟ୍ ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଶାହି ଏକ୍ସପୋର୍ଟ  ଆଉ ଏକ ୟୁନିଟ୍ ସ୍ଥାପନ କରିଛି। ବର୍ତ୍ତମାନ ଉଭୟ ୟୁନିଟରେ ୫,୫୦୦ରୁ ଅଧିକ ଶ୍ରମିକ ନିୟୋଜିତ ଅଛନ୍ତି ଏବଂ ନିକଟ ଭବିଷ୍ୟତରେ ଆହୁରି ୨,୦୦୦ ଜଣଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ଯୋଜନା ରଖିଛି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର କର୍ମଚାରୀଙ୍କୁ ଏହି ସଂସ୍ଥା ତାଲିମ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି। ୨୯୮ଟି ବ୍ଲକର ୨, ୯୦୦ଟି ଗାଁରେ କମ୍ପାନୀ ପହଞ୍ଚି ପାରିଛି। କୌଶଳ ବିକାଶ ଓ ନିଯୁକ୍ତି ଦ୍ୱାରା ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଛି।

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବାଲେଶ୍ଵର

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବାଲେଶ୍ଵର

ଶ୍ରେଷ୍ଠ ତାଲିମ ଅନୁଷ୍ଠାନ

ଦ୍ୱିତୀୟ ଯୋଜନା ଅବଧିରେ ଯଥେଷ୍ଟ ସଂଖ୍ୟାରେ କୁଶଳୀ କାରିଗର ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୫୭ ମସିହାରେ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ବାଲେଶ୍ଵର ପ୍ରତିଷ୍ଠା କରାଯାଇଥିଲା। ୨୦୦୬-୦୭ ମସିହାରେ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ଵାରା ବୈଦ୍ୟୁତିକ ସେବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ମିଳିବା ପରେ ଏହି ଅନୁଷ୍ଠାନକୁ ଏକ ନୂତନ ଦିଗ ମିଳିଛି।

ବିଗତ କିଛି ଦଶନ୍ଧି ମଧ୍ୟରେ, ଅନୁଷ୍ଠାନରେ ବ୍ୟାପକ ଉନ୍ନତି ହୋଇଛି। ସୃଜନଶୀଳତା ଏବଂ ନୂତନତ୍ୱ ଉପରେ ଧ୍ୟାନ ଦେଇ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ଅଧ୍ୟାପକମାନେ ଉତ୍ସର୍ଗୀକୃତ ଭାବେ ଉଦ୍ୟମ କରୁଛନ୍ତି। ମାନବ ସମ୍ବଳ ସହିତ ଅତ୍ୟାଧୁନିକ ଭିତ୍ତିଭୂମି ଏକୀକରଣ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହି ଅନୁଷ୍ଠାନରୁ ତାଲିମ ପ୍ରାପ୍ତ ହଜାର ହଜାର ପ୍ରଶିକ୍ଷାର୍ଥୀ ସଫଳତାର ସହ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଏକ ଅଗ୍ରଣୀ ଗୁଣାତ୍ମକ ତାଲିମ ପ୍ରଦାନକାରୀ ସଂସ୍ଥା ଭାବରେ ଏହି ଅନୁଷ୍ଠାନ ନିଜକୁ ପ୍ରତିଷ୍ଠିତ କରିପାରିଛି।

ଏହି ଅନୁଷ୍ଠାନରେ  ୧୭ଟି ଶାଖାରେ ପ୍ରତିବର୍ଷ ୭୪୦ ଛାତ୍ରଛାତ୍ରୀଙ୍କ ପାଇଁ ସିଟ ରହିଛି। ପ୍ରିନସିପାଲ ଶ୍ରୀ କେ ସି ରାଉତଙ୍କ ନେତୃତ୍ୱରେ ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଟିଆଇ ବାଲେଶ୍ୱର ନିଜକୁ ପ୍ରସ୍ତୁତ କରୁଛି। ପ୍ରଶିକ୍ଷାର୍ଥୀଙ୍କ ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏହି ଅନୁଷ୍ଠାନରେ ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ଯୋଗାଯୋଗ ଲ୍ୟାବ କାର୍ଯ୍ୟକ୍ଷମ କରାଯାଇଛି।

ସାହାନା ପୋଷାକ କମ୍ପାନୀ

ସାହାନା ପୋଷାକ କମ୍ପାନୀ

ଶ୍ରେଷ୍ଠ ତାଲିମଦାତା

ସାହାନା ପୋଷାକ କମ୍ପାନୀ ଭାରତର ଏକ ବଡ଼ ପୋଷାକ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଅନ୍ୟତମ। ଏହା ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ବୟନ ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ଏହି କମ୍ପାନୀ କାର୍ଯ୍ୟ କରୁଛି । ଏହି ବୟନ ଶିଳ୍ପ  କମ୍ପାନୀକୁ ୫୦ ବର୍ଷର ଅଭିଜ୍ଞତା ଥିବା  ଶ୍ରୀ ଏନ.କ୍ରିଷ୍ଣସ୍ୱାମୀ (Sri N. Krishnaswamy)  ଆରମ୍ଭ କରିଥିଲେ। ଆଜିର ଦିନରେ ସାହାନା  ପୋଷାକ କମ୍ପାନୀ କେବଳ ଯେ ପୋଷାକ ପ୍ରସ୍ତୁତ କରୁଛି ତାହା ନୁହେଁ, ପୋଷାକ ପ୍ରସ୍ତୁତି ସହ ବିଶ୍ୱ ବ୍ୟବସାୟ ଦୁନିଆରେ ନିଜର  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ।

ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ଆମେ ଏକ ବିଶ୍ୱସ୍ତ ଏବଂ ଦକ୍ଷ ଉତ୍ପାଦକ ଭାବରେ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇପାରିଛୁ । ଏହା ସହ ସାହାନା କମ୍ପାନୀ ସର୍ବଦା ସାମାଜିକ ଏବଂ ପରିବେଶ ଉପଯୋଗୀ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ଆସୁଛି | ଆମର ପ୍ରମୁଖ ବାଣିଜ୍ୟ ସହଭାଗୀ ଦେଶଗୁଡ଼ିକ ହେଉଛି ଆମେରିକା, ହଂକଂ, ଜର୍ମାନୀ, ଏବଂ ସିଙ୍ଗାପୁର | ଆମେ ସର୍ବଦା ନୂଆ ଡିଜାଇନ୍, ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା,ଗୁଣବତ୍ତା ଏବଂ ବିଶ୍ୱ ବଜାର ସ୍ଥିତିକୁ ବିଶ୍ଳେଷଣ  କରି କାମ କରିଆସୁଛୁ । ଆମେ ସବୁବେଳେ  ଗୁଣବତ୍ତା ଏବଂ ଉତ୍କର୍ଷତା ଉପରେ ବିଶ୍ୱାସ କରୁ। ଆତ୍ମନିର୍ଭରଶୀଳତା ଆମ ବ୍ୟବସାୟର ମୂଳ ଲକ୍ଷ୍ୟ ଅଟେ |

ସାହାନା ସବୁବେଳେ ଲିଙ୍ଗଗତ ଅସମାନତାକୁ ଦୃଢ଼ ଭାବେ ବିରୋଧ କରେ । ଆମ ସହ ୮୦%ରୁ ଅଧିକ ମହିଳା କର୍ମଚାରୀ କାମ କରୁଛନ୍ତି ।  ଏହା ସହ ମହିଳା ସଶକ୍ତିକରଣକୁ ସବୁବେଳେ ସମର୍ଥନ କରିଆସୁଛି କମ୍ପାନୀ । ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ସ୍ତରରେ ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ତରରେ  ପହଞ୍ଚାଇବାକୁ ଆମେ ସର୍ବଦା ସମର୍ଥନ କରିଆସୁଛୁ | ଆମେ ମହିଳାମାନଙ୍କୁ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବାକୁ ସମର୍ଥନ କରୁଛୁ | ମହିଳାମାନେ ସବୁ କିଛି ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ସେମାନେ ସର୍ବଦା ସବୁ କ୍ଷେତ୍ରରେ  ଆହ୍ୱାନ ଗ୍ରହଣ କରିବା ଉଚିତ୍ ବୋଲି ଆମେ ବିଶ୍ୱାସ କରୁ। କାର୍ଯ୍ୟ କରିବା ଏବଂ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବା ପାଇଁ  କାର୍ଯ୍ୟକ୍ଷେତ୍ରକୁ ଉତ୍କୃଷ୍ଟ  ସ୍ଥାନ ଭାବେ ଗଢିବା ପାଇଁ ଆମେ କ୍ରମାଗତ ଭାବରେ କାର୍ଯ୍ୟକ୍ଷେତ୍ରର ବିକାଶ କରୁଛୁ । ଏଥି ସହ କର୍ମଚାରୀଙ୍କ ସୃଜନଶୀଳତାକୁ ମଧ୍ୟ ସବୁ ସମୟରେ ଗ୍ରହଣ କରୁଛୁ ।

ବୟନଶିଳ୍ପ ଏକ ନିଯୁକ୍ତିଦାତା ବଜାର ନୁହେଁ। ବର୍ତ୍ତମାନ ଏହା ଏକ କର୍ମଚାରୀଙ୍କ ବଜାର ପାଲଟିଯାଇଛି । ତେଣୁ ଏହି ଶିଳ୍ପରେ ପ୍ରତ୍ୟେକ କମ୍ପାନୀ ବଜାରରେ ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କ କର୍ମଚାରୀଙ୍କ ଉପରେ ଅଧିକ ନିର୍ଭରଶୀଳ ବୋଲି ସାହାନା ପୋଷାକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ.ପ୍ରଭୁ ଶାନକେର୍ (Mr. K.Prabhu Shanaker ) ବିଶ୍ୱାସ କରନ୍ତି | ଯେଉଁ ଯୁବ ଆଶାୟୀଙ୍କ ନିକଟରେ ଆଗକୁ ବଢିବା ରୋଜଗାର କରିବା ପାଇଁ ସ୍ୱପ୍ନ ଓ ଇଚ୍ଛା ଅଛି ସାହାନା ସେମାନଙ୍କ ଦକ୍ଷତାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବା ପାଇଁ ସହାୟତା କରୁଛି ।

ଜଣେ ପ୍ରମୁଖ ନିଯୁକ୍ତିଦାତା ହିସାବରେ ସାହାନା ଗୁଣାତ୍ମକ ଶିଳ୍ପ ତାଲିମ ପ୍ରଦାନ କରୁଛି। ସିଲେଇ ମେସିନ ଶିଖାଇବା ଏବଂ ଅନ୍ୟାନ୍ୟ ଟେକ୍ସଟାଇଲ୍ ସମ୍ବନ୍ଧୀୟ ଟ୍ରେଡରେ ପ୍ରଶିକ୍ଷଣ ପ୍ରଦାନ କରୁଛି। ଶିଳ୍ପ ପ୍ରତି ଆକୃଷ୍ଟ କରିବା ପାଇଁ ସାହାନା ତାହାର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରରେ ବିଶେଷ କରି ମହିଳା ମାନଙ୍କ ପାଇଁ  ପ୍ରଶିକ୍ଷଣ ବ୍ୟବସ୍ଥା କରିଛି । ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା  ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଯୁବକମାନଙ୍କର ରୋଜଗାର କ୍ଷମତା ବୃଦ୍ଧି କରିବା ଓ ସେମାନଙ୍କୁ ସଶକ୍ତ କରିବା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆମେ  ବିଶେଷ ଭାବେ ଗୁରୁତ୍ୱ ଦେଇଥାଉ ।

ଓଡ଼ିଶାର ଭୁବନେଶ୍ୱରରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ସ୍ୱଳ୍ପ ମିଆଦି ଏବଂ ଦୀର୍ଘ ମିଆଦି ତାଲିମ ପ୍ରଦାନ କରୁଛି। ଏଠାରେ ତାଲିମ ନେବା ପରେ ପରବର୍ତ୍ତୀ ସମୟରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ  ଏହାର କଳକାରଖାନାରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଆଜି ପର୍ଯ୍ୟନ୍ତ ଆମେ ୩୫୦ ଜଣ ବ୍ୟକ୍ତିଙ୍କୁ ତାଲିମପ୍ରାପ୍ତ କରାଇ ନିଯୁକ୍ତି ଦେଇଛୁ। ଆଗାମୀ ଦିନରେ ୫ ହଜାର ଯୁବକଙ୍କୁ ତାଲିମ ଦେବା ସହ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛୁ । ବୈଷୟିକ ପ୍ଲାଟଫର୍ମରେ ଗ୍ରାମାଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ସଶକ୍ତ କରିବାରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ଦକ୍ଷ ଅଟେ। ଏକ ନିଆରା ସଂସ୍କୃତି ସହିତ ଏକ ସୁସ୍ଥ ସମ୍ପ୍ରଦାୟ ଗଠନ ଦିଗରେ ଆମେ ସର୍ବଦା କଠିନ ପରିଶ୍ରମ କରୁଛୁ ଏବଂ ଏହି  ସଂସ୍କୃତିକୁ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରୁଛୁ । ଆମ ଜୀବନରେ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ବୋଲି ଆମେ ବିଶ୍ୱାସ କରୁ । ଏଣୁ କ୍ରମାଗତ ଭାବେ  ଆମେ ଆମର କାମରୁ  ପରସ୍ପରଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରୁ ।  ଯାହା ଆମକୁ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରିଥାଏ ।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ